ଝିଅ ଜନମ ତ ପରଘରକୁ, କେତେଦିନ ବା ଘରେ ରହିବ !ହେଲେ ମିନତୀ କେମିତି ଛାଡି ଯାଇଥାନ୍ତା ପରଘରକୁ କୁନି କୁନି ଭାଇଭଉଣୀ ଦୁଇଟାକୁ ଛାଡି ??
ମିନତୀ ଚାରି ଭାଇ ଭଉଣୀରେ ବଡ଼ ଝିଅ,ବାପା ଚାଲିଗଲା ପରେ ଯେମିତି ଦୁଃଖର ପାହାଡ଼ ମାଡିବସିଲା ମିନତୀ ର ପରିବାର ଉପରେ ! ସବୁଆଡେ ଅନ୍ଧାର କଣ ହେବ ସମସ୍ତଙ୍କର ଭବିଷ୍ୟତ,କେମିତି ଚଳିବ ପରିବାର,ଏମିତି ଚିନ୍ତା କରି କରି କେତେ ରାତି ପାହିଗଲାଣି ! ଯାହାଥିଲା ସବୁ ବିକିଭାଙ୍ଗି ସରିଗଲାଣି,ଏମିତି କେତେଦିନ ଚାଲିବ,ଭାବି ଭାବି ଆଖିରୁ ଲୁହ ଗଡି ଯାଉଥାଏ !
କେତେଜଣଙ୍କୁ କହିଲାଣି ମିନତୀ ପରିବାର ର ଦୁଃଖକଥା,ହେଲେ ସମସ୍ତେ ହଁ କହିବି କହି କେହି ଗୋଟେ କାମ ଧନ୍ଦା ବୁଝି ଦେଉ ନାହାନ୍ତି,ବହୁତ ଚେଷ୍ଟାପରେ ପାଖ ସୁତାମିଲରେ କାମ ଗୋଟେ ମିଳିଛି ! ମାସିକ ବେତନ ଛଅହଜାର ଟଙ୍କାରେ,ଖୁସିରେ ଆତ୍ମହରା ମିନତୀ,ଦୌଡ଼ି ଆସିଛି ବୋଉକୁ କୁଣ୍ଢେଇ ପକେଇଛି,ବୋଉଲୋ କାମ ଗୋଟେ ମିଳି ଯାଇଛି, ଆଉ ଅସୁବିଧା ହେବନି,ପେଟକୁ ଦୁଇମୁଠା ଖାଇବା ଆଉ ବନିତା ଆଉ କୁନା ର ପାଠପଢା ଆରାମରେ ହେଇଯିବ !
ଆରମ୍ଭ ହେଇ ଗଲା ମିନତୀର ଜୀବନ ସଂଗ୍ରାମ,ୟା ମଧ୍ୟରେ କେତେ ବିବାହ ପ୍ରସ୍ତାବ ଆସିଛି ମିନତୀ ପାଇଁ,ହେଲେ ମିନତୀ,ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି କେବଳ ଭାଇଭଉଣୀ ଦୁଇଟାର ଭବିଷ୍ୟତ ପାଇଁ ! ବୋଉ ମଧ୍ୟ କେତେଥର କରି କହିଛି ମିନତୀକୁ ବାହା ହେବା ପାଇଁ,ସବୁଦିନେ କଣ ତୋର ମୁଁ କି ତୋ ଭାଇଭଉଣୀ ତୋ ପାଖରେ ଥିବେ,ତୁ ଘର ସଂସାର କର,ନହେଲେ ତୁ ଭବିଷ୍ୟତରେ ବହୁତ କଷ୍ଟ ପାଇବୁ,ଏମିତି କେତେ କଥା କହି ବୁଝାଇଛନ୍ତି ! କେତେ କହିଛି ବୋଉ ବାହା ହେଇବି ତୁ ଘରକଥା ବୁଝି ପାରିବୁ,ହେଲେ ମିନତୀ ଭାବିଛି ବାପା ତ ଛାଡି ଚାଲି ଯାଇଛନ୍ତି,ଆଉ ମୁଁ ଚାଲିଗଲେ ମୋ ଭାଇ ଭଉଣୀ ବୋଉ କଥା କିଏ ବୁଝିବ, ଏଥିପାଇଁ ନିଷ୍ପତ୍ତି ନେଇଛି ସେ ଦୁଇଟାକୁ ମଣିଷ କରିବି ତାପରେ ଯେଉଁ କଥା ! ଏତେ ଦୁଃଖ ମଧ୍ୟରେ ସାନଭାଇ ଟା ଆଜି ନିଯୁକ୍ତି ପାଇଛି ସରକାରୀ କର୍ମଚାରୀ ଭାବରେ,ମିନତୀ ର ଖୁସି କହିଲେ ନସରେ ! ସାଇ ପଡ଼ିଶା ମିଠା ବାଣ୍ଟିଛି, ଖୁସିରେ ଠାକୁରାଣୀ ଙ୍କ ପାଖରେ ନଡ଼ିଆ ବାଡେଇଛି ! ମିନତୀ ଭାବିଛି ଏଥର ଆମ ଦୁଃଖଗଲା !
ଆଜି ଖବର ଆସିଛି,ସାନ ଭଉଣୀ ବନିତା ସହରରେ ପାଠ ପଢୁ ପଢୁ ତା ସାଙ୍ଗକୁ କୁଆଡେ ମନ୍ଦିରରେ ବାହାଘର ହେଇଛି ! ମିନତୀ ବନିତାକୁ ଫୋନ କରି ପଚାରିବାରୁ କହୁଛି ତୁ ବାହା ହେବୁନି ବୋଲି କଣ ମୁଁ ବାହା ହେବିନି ? ପ୍ରଥମ ଥର ଏମିତି କଥା ଶୁଣି ମିନତୀର ଗୋଡ଼ ତଳୁ ମାଟି ଖସିଗଲା ! ଭାବି ଚାଲୁଥିଲା ଏତେଦିନର ସଂଘର୍ଷ ଜୀବନର ମୂଲ୍ୟ ଏଇଆ !
ଏପଟେ ବୋଉ ଏକଥା ଶୁଣି ବ୍ରେନ ଷ୍ଟ୍ରୋକ ହେଲା,ଡାକ୍ତରଖାନାରେ ପାଞ୍ଚଦିନ ପଡିଲା ପରେ ଆରପାରି କୁ ଚାଲିଗଲା ! ଏବେ ମିନତୀ ଏକୁଟିଆ ସାନଭାଇ ସହରକୁ ଚାଲିଗଲା ନିଜର କର୍ମକ୍ଷେତ୍ର କୁ,ମଝିରେ ମଝିରେ ଘରକୁ ଆସେ,ଏବେ ସିଏବି ଆସିବା ବନ୍ଦ କଲାଣି,ଫୋନ କଲେ ଆଉ ଉଠାଉ ନାହିଁ ! ହଠାତ ଆଜି ଘରକୁ ଆସିଛି ସାନଭାଇ କୁନା,ଆଉ କହୁଛି ଏଠି ତୁ ଏକୁଟିଆ କଣ ପାଇଁ ରହିବୁ,ତୁ ଚାଲ ମୋ ପାଖରେ ରହିବୁ,ତୋର ସେ ଚାକିରୀ ବାକିରି ଆଉ କରିବା ଦରକାର ନାହିଁ,ବହୁତ ଖଟିଲୁ,ଏକଥା ଶୁଣି ମିନତୀ ଆଖିରୁ ଲୁହ ଗଡିଗଲା, ଯାହାହେଉ ମୋ ସାନଭାଇ ମୁଣ୍ଡରେ ଏତେ ବୁଦ୍ଧି କେବେଠୁ ଆସିଲା ! ସାନଭାଇ କଥାରେ ପଡି ସହର ଗଲା ମିନତୀ,ଆଉ ସେଠି ଯାଇଦେଖେ କୁନା ବି ବାହା ହେଇ ଯାଇଛି, ତାର ଗୋଟେ ଛୋଟ ପୁଅଟେ ବି ଅଛି ! ମିନତୀ ଏସବୁ ଦେଖି ପଚାରିଛି ଆରେ କୁନା .... କୁନା କହିଛି ଦିଦି ସମୟ ପାଇଲି ନାହିଁ ତୋତେ କହିବାକୁ ! ହଁ ରେ କୁନା ତୋତେ ସମୟ ହେଇ ନଥିବ ! ଆଜି ଘରକାମ କରିଲାବେଳେ ପ୍ଲେଟ ଟିଏ ଭାଙ୍ଗିଯାଇଛି,ଏ କଥାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଚାଲିଛି,କେତେ ଦାମ ର ପ୍ଲେଟଟା ହାତରୁ ଏମିତି ଖସିଯିବ,ଦେଖ ତାଙ୍କୁ କହିଦିଅ ଘରେ ଯଦି ରହିବାର ଅଛି,ଘରକାମ କରିବା ସହିତ ଆମ ରୋହନ ର ମଧ୍ୟ ଯତ୍ନ ନେବାକୁ ପଡିବ,ଏଠି ଚାକରାଣୀ ମିଳୁନି ବୋଲି,ତୁମେ କଣ କହୁଥିଲ ଗାଁ କୁ ଯାଉଛି ଗୋଟେ ଚାକରାଣୀ ଆଣିବାକୁ,ଏଇ କଣ ତୁମର ଚାକରାଣୀ ?
କବାଟ ପାଖରେ ଥାଇ ସବୁ ଶୁଣୁଥିଲା ମିନତୀ,ଆଉ ମନେ ମନେ ଭାବୁଥିଲା ମୁଁ ଚାକରାଣୀ ନୁହେଁ ତ ଆଉ କଣ ? ଚାକର ଚାକରାଣୀ ଙ୍କୁ ପଇସା ମିଳେ,ଆଉ ମୁଁ ବିନା ପଇସା ନିଆ ଚାକରାଣୀ ......ଶେଷରେ ଯାହାକୁ କୋଳେଇ କାଖେଇ ଏତେବଡ଼ କଲି ସିଏ ମୋତେ ତା ସ୍ତ୍ରୀ ପାଖରେ #ଚାକରାଣୀ ସଜେଇ ଦେଇଛି ! ଆଖିରୁ ଲୁହ ଗଡି ଚାଲିଥାଏ,ଆଉ ମିନତୀ ବୋଉ କଥା ଭାବି ଚାଲିଥାଏ !
ବିମ୍ବାଧର ମହାପାତ୍ର
ତାଳଚେର,ଅନଗୁଳ


0 Comments